ପ୍ରଦୀପ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭାରେ କଳିଙ୍ଗ ସାହିତ୍ୟ ସମାଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର: ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ସଭାଗୃହରେ ଆୟୋଜିତ ଦ୍ୱାଦଶାହ ସ୍ମୃତିସଭାରେ ଓଡ଼ିଆ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଖ୍ୟାତି ସଂପନ୍ନ ପ୍ରଫେସର୍ ଡ. ପ୍ରଦୀପ ମହାପାତ୍ରଙ୍କ ସାରସ୍ୱତ ସ୍ମୃତି ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରାକ୍ତନ ମୁଖ୍ୟ, କଳିଙ୍ଗ ସାହିତ୍ୟ ସମାଜ ପୂର୍ବତନ ସଂପାଦକ ତଥା ସୁଖ୍ୟାତ ସ୍ତମ୍ଭକାର ଡକ୍ଟର୍ ମହାପାତ୍ରଙ୍କ ଜୀବନାଦର୍ଶ ଓ ନିରଳସ ସାଧନା ବିଷୟରେ ଆଲୋକପାତ କରା ଯାଇଥିଲା l ଡ. ମହାପାତ୍ର ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ପ୍ରଥା, ପରମ୍ପରା, ଧର୍ମୀୟ ପୃଷ୍ଠଭୂମି, ଐତିହାସିକ ମହତ୍ତ୍ୱ ସମ୍ବଳିତ ଶତାଧିକ ସ୍ତମ୍ଭ ରଚନା କରି ଅଶେଷ ପାଠକାଦୃତି ଲାଭ କରିଥିଲେ l ଅନେକ ପୁସ୍ତକର ସଂପାଦନା କରିବା ସହ ସାମ୍ବାଦିକତା ଓ ସଂଚାର ଆଧାରିତ ପୁସ୍ତକ ପ୍ରଣୟନ କରି ଖ୍ୟାତି ସାଉଁଟିଥିଲେ l ସାରସ୍ୱତ ସାଧନାରତ ଅବସ୍ଥାରେ ଅପ୍ରତ୍ୟାଶିତ ଦେହାନ୍ତ ଓଡ଼ିଆ ସାମ୍ବାଦିକତା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ସ୍ମୃତିସଭାରେ ବକ୍ତାମାନେ ମତପ୍ରକାଶ କରିଥିଲେ l
ଏହି ଅବସରରେ ପରଲୋକଗତ ଡକ୍ଟର୍ ମହାପାତ୍ରଙ୍କ ସ୍ମୃତିଚାରଣ ପୂର୍ବକ ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l କଳିଙ୍ଗ ସାହିତ୍ୟ ସମାଜର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଡ. କୃଷ୍ଣ ପ୍ରସାଦ ମହାପାତ୍ର ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଓଡ଼ିଆ ଗଣମାଧ୍ୟମ ସହ ସମ୍ପୃକ୍ତ ଡ. ତ୍ରିପତି ମିଶ୍ର ଆମନ୍ତ୍ରିତ ଅତିଥି ରୂପେ ସ୍ତମ୍ଭକାର ଡ. ମହାପାତ୍ରଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ l ଅନ୍ୟତମ ଅତିଥି ରୂପେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ଓ ଡ. ହୃଷୀକେଶ ପଣ୍ଡା ସ୍ବର୍ଗତ ମହାପାତ୍ରଙ୍କ ସାରସ୍ୱତ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ l ଶ୍ରୀମତୀ କିରଣବାଳା ମିଶ୍ର, ଅନୁପ କୁମାର ମିଶ୍ର, ଡ. ମନୋରଞ୍ଜନ ବିଷୋୟୀ, ଦୀନବନ୍ଧୁ ଶ୍ରୀପଲ୍ଲଵ, ନଳିନୀକାନ୍ତ ଗୌଡ଼, ବି. ବୈରାଗୀ ପାତ୍ର, ଲଡ଼ୁକେଶ ମିଶ୍ର, କେ. ରବୀନ୍ଦ୍ର କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ରାମନାଥ ପଣ୍ଡା ପ୍ରମୁଖ ଏହି ସ୍ମୃତିସଭାରେ ଡ. ମହାପାତ୍ରଙ୍କ ଦିବଂଗତ ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଶେଷରେ କଳିଙ୍ଗ ସାହିତ୍ୟ ସମାଜର ସଂଗଠନ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲଵ ଧନ୍ୟବାଦ ଅର୍ପଣ କରିଥିଲେ l