ଭତ୍ତା ବୃଦ୍ଧି ଦାବିରେ ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ପକ୍ଷରୁ ଦାବିପତ୍ର।
କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ବୃଦ୍ଧବୃଦ୍ଧାଙ୍କ ଭତ୍ତା ବୃଦ୍ଧି ଦାବିରେ ମୁଇଁ କଳାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦେଶରେ ଦରଦାମ୍ ବୃଦ୍ଧି ଆକାଶଛୁଆଁ ଏବଂ ବଞ୍ଚିବାର ଶୈଳି ପରିବର୍ତ୍ତନ ହେଲାଣି। ନବୀନ ସରକାର ସମୟରେ ବଢିଥିବା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ ୧୦୦୦ରୁ ୧୪୦୦ଟଙ୍କାରେ ଜଣେ ବଞ୍ଚିବା କଷ୍ଟକର। ତେଣୁ ମୋହନ ସରକାର ଆସିବା ପୁର୍ବରୁ ନିର୍ବାଚନ ସମୟରେ ଭତ୍ତା ୩୦୦୦ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା ଓ ଘୋଷଣା ମଧ୍ଯ କରିଥିଲା । ଯେଉଁଥି ପାଇଁ ଓଡିଶାର ଗରିବ ଓ ଅସହାୟ ବୁଢାବୁଢୀ, ବିଧବା, ଅବିବାହିତା ଏବଂ ଭିନ୍ନକ୍ଷମ ଭାଇଭଉଣୀମାନେ ଟିକିଏ ଖୁସିରେ ବଞ୍ଚିବା ଆଶାରେ ଭୋଟ ଦେଇ ଓଡିଶାରେ ବିଜେପି ସରକାରକୁ ଆଣିଲେ । ଗତ ଜୁଲାଇ ୨୫ତାରିଖରେ ହୋଇଥିବା ଚଳିତ ବର୍ଷ ପାଇଁ ବଜେଟରେ ବିଭିନ୍ନ ଯୋଜନାମାନ ଘୋଷଣା କରିବା ସହ କେବଳ ୮୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଏବଂ ୮୦% ଭିନ୍ନକ୍ଷମମାନଙ୍କୁ ୩୫୦୦ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଉପସ୍ଥାପନ କଲେ। କିନ୍ତୁ ଘୋଷଣାଟି ଘୋଷଣାରେ ରହିଗଲା। ହେଲେ ବାକି ୬୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, ବିଧବା, ଅବିବାହିତା ଓ ୪୦% ଉର୍ଦ୍ଧ୍ବ ଭିନ୍ନକ୍ଷମ ୪୯ଲକ୍ଷ ହିତାଧିକାରୀ ନିରାଶ ଓ ଅସନ୍ତୋଷ ବ୍ଯକ୍ତ କଲେ । ପୁଣି ରାଜ୍ଯ ସରକାର ଗତ ଅକ୍ଟୋବର ୨୧ ତାରିଖରେ ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୩% ବଢାଇ ପୂଜା ଭେଟି ଦେଇଥିବା ବେଳେ ଗରିବ ଓ ଅସହାୟମାନଙ୍କ ପାଇଁ କିଛି ନାହିଁ। ମୋହନ ସରକାର ନଭେମ୍ବର ୧୨ ତାରିଖକୁ ୫ମାସ ପୁରିଗଲା ଭିତରେ କେତେ ଯେ ସଂସାର ଉଜୁଡ଼ି ଛାରଖାର ହୋଇସାରିଲାଣି। ଏସବୁ ସତ୍ଵେ ହିତାଧିକାରୀମାନେ ଆଶା ଧରି ଚାତକ ଭଳି ଚାହିଁ ବସିଛନ୍ତି। କେବେ ସରକାର ନିର୍ବାଚନ ପ୍ରତିଶୃତି ରକ୍ଷା କରିବେ? “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ଭତ୍ତା ବୃଦ୍ଧି କରିବା ପାଇଁ ନବୀନ ସରକାର ସମୟରେ ଗତ ଫେବୃଆରୀ ୨ତାରିଖରେ ଭତ୍ତା ଆନ୍ଦୋଳନ କରିଥିଲେ। ଏବେ ପୁଣିଥରେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ସଂଗଠନର ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ସଦସ୍ଯମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଆସନ୍ତା ୨୬ତାରିଖରେ ହେବାକୁ ଥିବା ଚଳିତ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟରେ ଭତ୍ତା (୩୦୦୦-୩୫୦୦)ଟଙ୍କା ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ନାରୀ ନେତ୍ରୀ କବିତା ରାଉତ,ନିରୋଦ କୁମାର ରାଉତ, ଲକ୍ଷ୍ମୀନାରାୟଣ ପଣ୍ଡା,ଅବଦୁଲ ଅଜିଜ ଖାନ,କୃଷକ ନେତା ଲିଙ୍ଗରାଜ ପ୍ରଧାନ,ଏଡଭୋକେଟ କ୍ଷିରୋଦ ନାଗ, ବିଶ୍ୱନାଥ ବାଗ, ସଞ୍ଜୟ ମେହେର, ବିକାଶ ରଂଜନ ପ୍ରଧାନ, ସସ୍ମିତା ସିଂ, ମନୋରଞ୍ଜନ ରାୟ,ମଧୁଲାଲ ନାଏକ,ପଞ୍ଚୁ ସାହୁ, ଦମୟନ୍ତୀ ମାଝୀ,ପୁଷ୍ପା ବାଗ, ହେମନ୍ତ ଦୁର୍ଗା, ସିନ୍ଧୁ ମାଝୀ,ଦିପାନ୍ତୀ ମାଝୀ, ପୁଷ୍ପାଞ୍ଜଳି ଚଣ୍ଡୀ, ଜାନକୀ ଜାଲ, ଯଶୋଦା ଶବର ପ୍ରମୁଖ ଉପସ୍ଥିତ ଥିଲେ।ଯଦି ସରକାର ନିର୍ବାଚନ ପ୍ରତିଶୃତି କାର୍ଯ୍ୟକାରୀ ନ କରନ୍ତି ତାହେଲେ ଆମ ସଂଗଠନ ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲାବ୍ୟାପି ଆନ୍ଦୋଳନ କରିବ ବୋଲି ସଭାପତି ସୁରେଶ ସଂଗ୍ରାମ କହିଛନ୍ତି।