ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଓଡିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି: ବିଜେଡି

0
Spread the love

ଭୁବନେଶ୍ୱର: ବିଜୁ ଜନତା ଦଳ ତରଫରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ଏକ ପ୍ରେସ ବାଇଟ ମାଧ୍ୟମରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗତ କାଲି ଦେଇଥିବା ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଗତକାଲି ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଏକ ଦଳୀୟ କାର୍ଯ୍ୟକ୍ରମରେ ଉଦ‌ବୋଧନ ଦେଉଥିବା ସମୟରେ, ରାଜ୍ୟରେ ନିକଟରେ ଘଟିଥିବା ଆମ୍ବଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣା ପ୍ରସଙ୍ଗରେ, ଏ ସରକାର ଚାଉଳ ଲୋକଙ୍କ ପାଖରେ ପହଞ୍ଚେଇବାରେ ବିଫଳ ହେବା ଯୋଗୁ ଘଟିଲା ବୋଲି କହିବା ସହିତ ଆମର ବାର ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ ବୋଲି କହିଥିଲେ I

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖ୍ ରାଜ୍ୟର ପୂର୍ବତନ ଯୋଗାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ଘଟଣା ଗୁଡିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି । କିନ୍ତୁ ତାକୁ ନେଇ ଶସ୍ତା ଓ ଅରୁଚିକର ମନ୍ତବ୍ୟ ବିଭାଗୀୟ ମନ୍ତ୍ରୀ ଦେଉଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ । ରାଜ୍ୟ ଯୋଗାଣମନ୍ତ୍ରୀ ଜାଣି ରଖୁବା ଉଚିତ ଯେ, ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଠିକଣା ଭାବେ ରଖାଯାଇ ପାରି ଥିବାରୁ, ଓଡିଶାକୁ ଦେଶ ଓ ଦେଶ ବାହାରେ ସୁନାମ ମିଳିଥିଲା । ଏବେ ରାଜ୍ୟରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିଫଳ ହୋଇ ଥିବାରୁ ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଲା । ପୂର୍ବରୁ ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଥିବା ବେଳେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଆଳୁ ଏଠୁ ଆସୁଛି ସେଠୁ ଆସୁଛି ଭଳି ଅସତ୍ୟ ମନ୍ତବ୍ୟ ଦେଇଥିଲେ I

ଶ୍ରୀ ନାୟକ କହିଥିଲେ, ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଟାର୍ଗେଟେଡ଼ ପିଡ଼ିଏସ ଉପରେ କରାଯାଇଥିବା ଇଣ୍ଡେକ୍ସ ରେଟ ରାଙ୍କିଙ୍ଗ ରେ ଓଡିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଥିଲା । କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ଚିଠିଟିକୁ ମିଡ଼ିଆ ସମ୍ମୁଖରେ ପାଠ କରି ଶୁଣାଇଥିଲେ ଶ୍ରୀ ନାୟକ ସେଥିରେ, ଓଡିଶା ସମସ୍ତ ପାରମିଟରରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ବେଶ ଆଗରେ ଥିଲା I ସେତେବେଳେ ସେ ରାଜ୍ୟର ଯୋଗାଣ ମନ୍ତ୍ରୀ ଥିବାରୁ କେନ୍ଦ୍ର ଯୋଗାଣ ମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ ମାଧ୍ଯମରେ ଅଭିନନ୍ଦନ ଜଣାଇବା ସହିତ ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ। ଏହାବ୍ୟତୀତ, ମିଳିତ ଜାତିସଙ୍ଘ ତରଫରୁ ଆୟୋଜିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଓଡିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୁୟସୀ ପ୍ରଶଂସା କରାଯାଇଥିଲା । ଏକ ଖାଦ୍ୟ ଅଭାବୀ ରାଜ୍ୟରୁ କିପରି ଭାବେ ଓଡିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଥିଲା, ଓଡ଼ିଶାର ଏହି ସଫଳତା ବିଶ୍ବ ସ୍ତରରେ ପ୍ରଶଂସିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି ବୋଲି ଶ୍ରୀ ନାୟକ କହିଥିଲେ ।

Leave a Reply

Your email address will not be published. Required fields are marked *