ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କୁ ଦେବଗିରି ନାରଦ ସମ୍ମାନ।
କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କୁ ମର୍ଯ୍ୟାଦାଜନକ ‘ଦେବଗିରି ନାରଦ ସମ୍ମାନ-୨୦୨୪’ ପ୍ରଦାନ କରାଯିବ। ସ୍ବର୍ଗତ ହାରାମଣି ଦେବୀ ଓ ସ୍ବର୍ଗତ ବୃନ୍ଦାବନ ମିଶ୍ରଙ୍କ ସୁପୁତ୍ର କମ୍ବୁପାଣି ୧୯୯୬ ମସିହାରୁ ପ୍ରଗତିବାଦୀରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଓ ଜୋନାଲ ହେଡ ଭାବେ କାର୍ଯ୍ୟରତ। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ସେ ନିଜ ଖବରକାଗଜ ମାଧ୍ଯମରେ ପ୍ରକାଶିତ କରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ଉତ୍କୃଷ୍ଟ ମାନର ସମ୍ବାଦ ସହ କଳାହାଣ୍ଡି ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଖବର ପରିବେଷଣ ପାଇଁ ପ୍ରଦ୍ୟୁମ୍ନ ବଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ୨୦୧୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରେଷ୍ଠ ସାମ୍ବାଦିକ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହାସହ ଓଡ଼ିଶା ସାମ୍ବାଦିକ ୟୁନିଅନ ପକ୍ଷରୁ ୨୦୧୫ରେ ରାଜ୍ୟ ଯୁବ ପ୍ରତିଭା ସମ୍ମାନ, ୨୦୧୪ରେ କଟକ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ୨୦୧୬ରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ କଳାହାଣ୍ଡି ଉତ୍ସବ ଘୁମୁରାରେ ଜିଲ୍ଲା ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି। ୨୦୧୬ରେ ମଦନପୁର ରାମପୁର କଳାହାଣ୍ଡି ଉତ୍ସବ ଓ ୨୦୨୧ରେ କର୍ଲାମୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ସେ ସମ୍ବର୍ଦ୍ଧତ ହୋଇଛନ୍ତି। ଜଣେ ଉତ୍ତମ ସଂଗଠକ ଭାବେ ସୁପରିଚିତ ଶ୍ରୀ ମିଶ୍ର ୨୦୦୯ରୁ ବର୍ତ୍ତମାନ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ଥିବାବେଳେ ୨୦୨୪ରୁ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟରତ। ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦରଠାରେ ହେବାକୁ ଥିବା ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ଶ୍ରୀ ମିଶ୍ରଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।