ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ବିଭିନ୍ନ ସମ୍ମାନ ଘୋଷଣା।
କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ତଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ଆସନ୍ତା ନଭେମ୍ବର ୧୩ରୁ ୧୫ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଠାରେ ଆୟୋଜିତ ହେବ। ଏନେଇ ଶନିବାର ଦ୍ବିତୀୟ ପର୍ଯ୍ୟାୟରେ ଦେବଗିରି ସାହିତ୍ୟ ସମ୍ମାନ ସମେତ ନାଟ୍ୟ, କଳା, ଶିକ୍ଷା ଓ ଗୁରୁ ସମ୍ମାନ ଘୋଷିତ ହୋଇଛି।ବିଶିଷ୍ଟ କବି ସୁଧୀର ମେହେରଙ୍କୁ ୨୦୨୪ ବର୍ଷ ପାଇଁ ‘ଦେବଗିରି ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ଜୁନାଗଡ଼ ବ୍ଲକ୍ ଚିଚୈଗୁଡ଼ା ନିବାସୀ ଶ୍ରୀ ମେହେର ଓଡ଼ିଆ କବିତାରେ ଜଣେ ଧୂରୀଣ ବିନ୍ଧାଣି। ତାଙ୍କ ପ୍ରକାଶିତ କବିତା ସଂକଳନ ମଧ୍ୟରେ ରହିଛି ‘ମିଛ ଉତାଣ’, ‘ମାଟି ମୋହ’, ‘ନିର୍ବାକ୍ ଈଶ୍ଵର’ ଓ ‘ଜୀବନ ବଇଁଶୀ ସୁର’। ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଦତ୍ତ ରାଜ୍ୟସ୍ତରୀୟ ଗଳ୍ପ ପୁରସ୍କାର ସମେତ ଅନେକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ସେହିପରି ‘ଦେବଗିରି ନାଟ୍ୟ ସମ୍ମାନ’ ପାଇବେ ବିଶିଷ୍ଟ ନାଟ୍ୟକର୍ମୀ, ନୃତ୍ୟଗୁରୁ ତଥା ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭୀମସେନ ସାହୁ। ଜଣେ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ୭୫ରୁ ଉର୍ଦ୍ଧ୍ବ ମଞ୍ଚ ନାଟକ, ଟେଲିଫିଲ୍ମ ଓ ବେତାର ନାଟକରେ ଅଂଶଗ୍ରହଣ କରିବାସହ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବେ ଦେଶର ବିଭିନ୍ନ ମଞ୍ଚରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମ.ରାମପୁରର ବ୍ୟଙ୍ଗକବି ସୁଶାନ୍ତ ମିଶ୍ର ଓ ତୁଲାଗାଁର ଆଶୁକବି ମଧୁସୂଦନ ରାଉତଙ୍କୁ ‘ଦେବଗିରି କଳା ସମ୍ମାନ’ ପ୍ରଦାନ କରାଯିବ। ପେଶାରେ ପ୍ରାଣୀଧନ ନିରୀକ୍ଷକ ଥିବା ଶ୍ରୀ ମିଶ୍ର ରାଜ୍ୟ ତଥା ଦେଶର ବିଭିନ୍ନ ମଞ୍ଚରେ ବ୍ୟଙ୍ଗ କବିତା ପରିବେଷଣ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରନ୍ତି। ସେହିପରି ଅବସରପ୍ରାପ୍ତ ଶିକ୍ଷକ ତଥା ଆଶୁକବି ମଧୁସୂଦନ ରାଉତ ଭାଗବତିଆ କବି ଭାବେ ଅଞ୍ଚଳରେ ସୁପରିଚିତ। ଯେକୌଣସି ପ୍ରସଙ୍ଗକୁ ନବାକ୍ଷରୀ ବୃତ୍ତରେ କବିତାର ରୂପ ଦେବାର କଳାରେ ସେ ବେଶ୍ ପାରଙ୍ଗମ। ଭବାନୀପାଟଣା ବ୍ଲକ ଶରଦାପୁର ୟୁପି ସ୍କୁଲର ପ୍ରଧାନଶିକ୍ଷକ ମଧୁସୂଦନ ପ୍ରଧାନଙ୍କୁ ଏବର୍ଷର ମର୍ଯ୍ୟାଦାଜନକ ଦେବଗିରି ଶିକ୍ଷା ସମ୍ମାନ ପ୍ରଦାନ କରାଯିବ। ମା’ ଗାୟତ୍ରୀ ଏଜୁକେସନାଲ ଟ୍ରଷ୍ଟ ଅଧୀନସ୍ଥ ଶାସ୍ତ୍ରୀଜୀ ଶିକ୍ଷା ନିକେତନ ଓ ଶାସ୍ତ୍ରୀଜୀ ମଡେଲ ସ୍କୁଲର ପରାମର୍ଶଦାତା ଭାବେ କଳାହାଣ୍ଡିର ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ଶ୍ରୀ ପ୍ରଧାନ ପ୍ରୟସରତ ଅଛନ୍ତି। ସେହିପରି ବରିଷ୍ଠ ଶିକ୍ଷାବିତ୍ ପ୍ରଭାସ ଚନ୍ଦ୍ର ମିଶ୍ର ଓ ସାଧୁରାମ ଭୋଇଙ୍କୁ ଦେବଗିରି ଗୁରୁ ସମ୍ମାନ ପ୍ରଦାନ କରାଯିବ। ଅବସରପ୍ରାପ୍ତ ଶିକ୍ଷକ ତଥା କଳାଗୁରୁ ଶ୍ରୀ ମିଶ୍ର ଜଣେ ଉଦାହରଣୀୟ ବ୍ୟକ୍ତିତ୍ଵ। ନିଜେ ଚିତ୍ରକଳା, ମୂର୍ତ୍ତିକଳା, ବଂଶୀବାଦନ, ରୂପସଜ୍ଜା, ରଙ୍ଗୋଲି, ନାଟ୍ୟ ନିର୍ଦ୍ଦେଶନା, ମଞ୍ଚ ନିର୍ମାଣ ଆଦି କଳା ସାଧନ କରିବା ସହ ଏସବୁ କ୍ଷେତ୍ରରେ ଶିକ୍ଷାଦାନ କରି ଅନେକ ସୁଯୋଗ୍ୟ କଳାକାର ତିଆରିଛନ୍ତି। ଶିକ୍ଷାଦାନ ପାଇଁ ସେ ଓଡ଼ିଶା ସରକାରଙ୍କ ଠାରୁ ରାଜ୍ୟ କୃତୀ ସମ୍ମାନ ଏବଂ ମଞ୍ଚକଳା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ସମେତ ବହୁ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି। ଜଣେ ସଂସ୍କୃତି ସଂଗଠକ ଭାବେ ମଧ୍ୟ ତାଙ୍କର ଖ୍ୟାତି ରହିଛି। ସେହିପରି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ପ୍ରଧାନଶିକ୍ଷକ ସାଧୁରାମ ଭୋଇ ଦୀର୍ଘବର୍ଷର ଶିକ୍ଷକ ଜୀବନରେ ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ତିଆରି କରିଛନ୍ତି, ଯେଉଁମାନେ କି ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛନ୍ତି।
ଉକ୍ତ ପ୍ରତିଭାମାନଙ୍କୁ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଜଣାଇଛନ୍ତି।