କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବୀ କଲା ବିଜେଡି।
ଭୁବନେଶ୍ୱର: କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ବାରା ଆଜି ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଦଳ ତରଫରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ସହିତ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ମଧ୍ଯ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବୀ କରାଯାଇଛି। ଶଙ୍ଖଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଏହି ଘଟଣାରେ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ବିଜେପି ନେତାଙ୍କ ନିର୍ଦେଶରେ ପୋଲିସ ଘଟଣାକୁ ଚପାଇ ଦେବାକୁ ଯଥାସାଧ୍ଯ ଚେଷ୍ଟା କରିଥିଲା I ବିଜେପି ନେତାଙ୍କ ପ୍ରରୋଚନାରେ, ଏକ ଦଳିତ ନାବାଳିକାର ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଘଟଣାରେ, ପୋଲିସ ପ୍ରଥମେ ଗଣଦୁଷ୍କର୍ମ ମାମଲା ରୁଜୁ କରି ନଥିଲା, କେବଳ ଅପହରଣ ମାମଲାରେ ସୀମିତ ରଖୁଥିଲା I ଘଟଣାକୁ ଗୁରୁତ୍ବ ଦେଇ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ ହେବା ପରେ, ଗଣଦୁଷ୍କର୍ମ ମାମଲା ଯୋଡ଼ା ହୋଇଥିଲା କିନ୍ତୁ ପୋକ୍ସୋ ଆକ୍ଟ ଲଗାଯାଇ ନାହିଁ। ଏହି ଘଟଣାରେ ତୁରନ୍ତ ପୋକ୍ସୋ ଆକ୍ଟ ଲଗାଇବା ପାଇଁ ବିଜୁ ଜନତା ଦଳ ଦାବୀ କରୁଛି।
ସେ କହିଥିଲେ, ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଓ କୁଚିଣ୍ଡା ବିଜେପି ର ପୂର୍ବତନ ସଭାପତି ସୁଶୀଲ କରଙ୍କ ସମ୍ପୃକ୍ତି ଏହି କେସରେ ରହିଥିବାରୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଘଟଣାର ବିବରଣୀ ଦେଇ ଶ୍ରୀମତୀ ଛୁରିଆ କହିଥିଲେ, କୁଚିଣ୍ଡା ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ନିଷ୍କ୍ରିୟତାର ଅଭିଯୋଗ ଆସିବା ପରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଥିଲେ । ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ୨୩ ଅକ୍ଟୋବର ଦିନ କୁଚିଣ୍ଡା ଯାଇ ପୀଡିତା, ପୀଡ଼ିତାଙ୍କ ପରିବାର ସଦସ୍ୟ ଓ କିଛି ସ୍ଥାନୀୟ ବାସିନ୍ଦାଙ୍କୁ ଭେଟିଥିଲେ। ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଦ୍ବାରା ଏହି ଗଣଦୁଷ୍କର୍ମ ମାମଲା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା, ଯାହା ଆଜି ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି।
କୁଚିଣ୍ଡା ବିଧାୟକ ଓ ରାଜ୍ୟର ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ନେତୃତ୍ବରେ ଅକ୍ଟୋବର ୧୫ ତାରିଖ ଦିନ, କୁଚିଣ୍ଡା ଏନଏସି ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ କରମା ପୂଜା ଆୟୋଜିତ ହୋଇଥିଲା I
ସ୍ଥାନୀୟ ହାଡିପଲ୍ଲି ଗାଁର ଏକ ଦଳିତ ନାବାଳିକା ଏହି କରମା ପୂଜା ପାଳନ ପାଇଁ ସ୍ଥାନୀୟ ବାସିନ୍ଦା ଗିରିଜା ପଟେଲଙ୍କ ଘରକୁ ଆସିଥିଲା । ଗିରିଜାଙ୍କ ଘରେ ନାବାଳିକାର ପିତା ଏକ ଶ୍ରମିକ ଭାବେ କାମ କରନ୍ତି I କରମା ପୂଜା ପାଳନ ପ୍ରାୟ ରାତି ୧. ୩୦ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟରେ, କାହ୍ନା ଛତ୍ରିଆ ନାମକ ଏକ ଯୁବକ, ଯିଏ ନାବାଳିକା ସହିତ ପୂର୍ବରୁ ପରିଚିତ, ତାକୁ ଘରେ ଛାଡ଼ିଦେବେ ବୋଲି କହିଥିଲେ । ଯୁବକ ଜଣକ ତାର ପରିଚିତ ହୋଇଥିବାରୁ, ନାବାଳିକା ଜଣକ ତାଙ୍କ ସହ ଘରକୁ ଫେରିବା ପାଇଁ ରାଜି ହୋଇଥିଲେ।
କାହ୍ନା ତାଙ୍କୁ ଆଣି ବାହାରେ ଥିବା ଏକ ଗାଡିରେ ବସାଇଥିଲେ । ସେହି ଗାଡ଼ିରେ ପୂର୍ବରୁ ଆଉ ଚାରିଜଣ ବସିଥିଲେ। ଗାଡ଼ିରେ ଥିବା ଯୁବକମାନଙ୍କ ଭିତରେ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ଘନିଷ୍ଠ ସହଯୋଗୀ ହରିହର ପାଣି ଗାଡି ଚଲାଉଥିଲେ । ଗାଡ଼ିରେ ବସିବା ପରେ କାହ୍ନା ନାବାଳିକାକୁ ଏକ କୋଲଡ଼ ଡ୍ରିଙ୍କ ପିଇବାକୁ ଦେଇଥିଲା I କୋଲଡ଼ ଡ୍ରିଙ୍କ ପିଇବା ପରେ ନାବାଳିକା ଅଚେତ ପ୍ରାୟ ଅବସ୍ଥାକୁ ଆସି ଯାଇଥିଲେ । ସେହି ସମୟରେ ଯୁବକମାନେ ନିକାଞ୍ଚନ ଜାଗାରେ ଥିବା ଏକ କ୍ଳବ ଘରକୁ ଗାଡିଟିକୁ ନେଇ ସେଠାରେ ଜଣ ପରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ। ପରେ ତାକୁ ପୋଲିସରେ କହିଲେ ତତେ ଜୀବନରୁ ମାରିଦେବୁ ବୋଲି ଧମକ ଦେବା ସହ ତାକୁ ଏକ ନିକାଞ୍ଚନ ଜାଗାରେ ଛାଡି ଦେଇଥିଲେ। କିଛି ସମୟ ପରେ ନାବାଳିକାର ପିତା ତାକୁ ଖୋଜି ପାଇଥିଲେ । ଝିଅକୁ ତାଙ୍କର ମାଲିକ ଗିରିଜା ପଟେଲଙ୍କ ଘରକୁ ନେଇ ଝିଅ ସହ ଘଟିଥିବା ଘଟଣା ବର୍ତ୍ତନା କରିଥିଲେ ।
ସେ କହିଥିଲେ, ଏହି ସମୟରେ, ଗିରିଜାଙ୍କ ପଡୋଶୀ ସୁଶୀଲ କର ସେଠାରେ ପହଁଚି ସବୁ କଥା ଶୁଣିବା ପରେ ସେ ଏହି ଘଟଣା କଥା ଜାଣିଥିବା କହିଥିଲେ କିନ୍ତୁ ଝିଅଟି କାହାର ବୋଲି ଜାଣି ନଥିଲେ। ଉଲ୍ଲେଖଯୋଗ୍ୟ, ସୁଶୀଲ କର କୁଚିଣ୍ଡା ବିଜେପିର ପୂର୍ବତନ ସଭାପତି ଓ ବର୍ତ୍ତମାନ ସଭ୍ୟ ସଂଗ୍ରହ ଦାୟିତ୍ଵରେ ଅଛନ୍ତି। ସୁଶୀଲ କର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଖାସ ଲୋକ ଭିତରୁ ଜଣେ। ସୁଶୀଲ ନାବାଳିକାର ପିତାକୁ ଏହି ଘଟଣାକୁ ପୋଲିସ ପାଖକୁ ନନେବା ପାଇଁ କହିଥିଲେ। ଘଟଣାର ପରଦିନ ନାବାଳିକା ଓ ତାର ପରିବାର ସଦସ୍ୟ କୁଚିଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ। ସେଠାରେ ସେମାନେ ଥାନା ଅଧିକାରୀଙ୍କ ସହ ହରିହର ପାଣି ପୂର୍ବରୁ ବସିଥିବା ଦେଖିଥିଲେ। ପାଣିଙ୍କୁ ଦେଖ୍ ସେମାନେ ଭୟଭୀତ ହୋଇ ଯାଇଥିଲେ। ସେମାନଙ୍କ ଅଭିଯୋଗ ଶୁଣିବା ପରେ, ପୋଲିସ କେବଳ ଅପହରଣ ମାମଲା ରୁଜୁ କରିଥିଲା ଓ ଗଣଦୁଷ୍କର୍ମ ମାମଲାକୁ ଗ୍ରହଣ କରି ନଥିଲା । ପୋଲିସ ସେମାନଙ୍କୁ ଏହି ମାମଲାକୁ ଆଗକୁ ନବଢ଼ାଇବା ପାଇଁ ଚାପ ପକାଉ ଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରିଥିଲା ଓ ହରିହର ପାଣିଙ୍କୁ ଜାଣିଶୁଣି ଗିରଫ କରି ନଥିଲା। ବିଜୁ ଜନତା ଦଳ ତରଫରୁ ଘଟଣାକୁ ଗୁରୁତ୍ବ ଦିଆଯାଇ ଦଳର ସଭାପତିଙ୍କ ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିବା ପରେ ପୋଲିସ ହରିହର ପାଣି ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗଣଦୁଷ୍କର୍ମ ମାମଲା ଏଫଆଇଆରରେ ଯୋଡିବାକୁ ବାଧ୍ଯ ହୋଇଥିଲା I
ଏହି ସମ୍ବେଦନଶୀଳ ଘଟଣାରେ, ବିଜେପି ସ୍ଥାନୀୟ ନେତା ଯଥା ସୁଶୀଲ କର ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକଙ୍କ ସମ୍ପୃକ୍ତି ରହିଛି ବୋଲି ସ୍ପଷ୍ଟ ଜଣାପଡୁଛି I ମନ୍ତ୍ରୀ ଓ ସ୍ଥାନୀୟ ବିଜେପି ନେତାଙ୍କ ଚାପରେ ପୋଲିସ ପୀଡ଼ିତାକୁ ନ୍ୟାୟ ଦେବା ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲଂବନ କରୁଥିଲା I