ଆସନ୍ତା ନଭେମ୍ବର ୧୩ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୁମାର ସ୍ବାମୀ ମହୋତ୍ସବ।

0
Spread the love

କଳାହାଣ୍ଡି (ପ୍ରଦୀପ କୁମାର ଗଉଡ):-ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜିତ ହେବ ରାଜ୍ୟ ସ୍ତରୀୟ କୁମାରସ୍ବାମୀ ମହୋତ୍ସବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାଗୃହ ଠାରେ ରବିବାର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତି ହୋଇଛି। ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ପାଳନ କରାଯିବ। ଚଳିତ ବର୍ଷର କୁମାରସ୍ବାମୀ ମହୋତ୍ସବର ମୁଖ୍ୟ ଆକର୍ଷଣ ରହିବ ‘ଗୋସିଙ୍ଗ ଦୈତ୍ୟ ଦରବାର’। ପ୍ରାଚୀନ ଲୋକନୃତ୍ୟ ଡମ୍ ବଜା, ଢାପ୍, ବନାବାଡି ସହ ଅନେକ ଲୋକସଂସ୍କୃତିରେ ଦୁଲୁକିବ ମଞ୍ଚ। ଲୋକଶ୍ରୁତି ଓ କିମ୍ବଦନ୍ତୀ ଅନୁସାରେ ମହିଷାସୁରଙ୍କ ଅଣନାତି ମହାରାଜ ଗୋସିଙ୍ଗ ଦୈତ୍ୟ ଅସୁରଗଡ଼ରେ ରାଜୁତି କରିବା ସହ ଦେବଗିରିରେ ଶିବ ଉପାସନା କରୁଥିଲେ। ଦେବଗିରି-ବୁଢ଼ୀପଦର ଅଞ୍ଚଳ ପ୍ରାଚୀନ ଆଟବିକ ସଭ୍ୟତାର ଏକ ଅଭିନ୍ନ ଅଙ୍ଗ। ତେଣୁ ଗୋସିଙ୍ଗ ଦୈତ୍ୟ ଦରବାର ମାଧ୍ୟମରେ ନୂତନ ପିଢ଼ିକୁ ଆଟବିକ ସଭ୍ୟତା ସହ ପରିଚିତ କରାଇବାକୁ ପ୍ରଚେଷ୍ଟା କରାଯାଇଛି ବୋଲି ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି। ଏହି ମହୋତ୍ସବରେ ଡମ୍ ବଜା, ଶିଙ୍ଗ୍ ବଜା, ବଜାଶାଲ୍, ଢାପ୍, ବନାବାଡ଼ି, ଲଉଡ଼ି ନୃତ୍ୟ ସହ ଶାନ୍ତପୁର ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନର ନାଟକ ‘କଙ୍କାଳ ଖେଳିବ ରକ୍ତର ହୋରି’, ସୋନପୁରର ଦଣ୍ଡନୃତ୍ୟ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ପଡ଼ୋଶୀ ଛତିଶଗଡ଼ର କଳାକାରମାନଙ୍କ ଦ୍ବାରା ନୃତ୍ୟ ଆସର ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଯୁଗ୍ମସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରକାଶ କରିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରୀକୃତ ହୋଇଛି। ଅଳ୍ପ ଦିନ ମଧ୍ୟରେ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ସହ ଦେବଗିରି ଯୁବ ସମ୍ମାନ, ଦେବଗିରି ସାହିତ୍ୟ ସମ୍ମାନ, ଦେବଗିରି ଲୋକକଳା ସମ୍ମାନ, ଦେବଗିରି ସାମ୍ବାଦିକତା ସମ୍ମାନ, ଦେବଗିରି କୃଷି ସମ୍ମାନ, ଦେବଗିରି ସମାଜସେବା ସମ୍ମାନ, ଦେବଗିରି ନାରଦ ସମ୍ମାନ, ଦେବଗିରି ଶିକ୍ଷା ସମ୍ମାନ, ଦେବଗିରି ବାର୍ତ୍ତା ସମ୍ମାନ, ଦେବଗିରି ଦେଶସେବା ସମ୍ମାନ, ଦେବଗିରି ଗୁରୁ ସମ୍ମାନ, ଦେବଗିରି ଶିଳ୍ପୀ ସମ୍ମାନ, ଦେବଗିରି କ୍ରୀଡ଼ା ସମ୍ମାନ ଆଦି ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସୂଚନା ଦେଇଛନ୍ତି। ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସରକାରୀ ସାହାଯ୍ୟ ବିନା ଦୀର୍ଘ ୩୨ବର୍ଷ ଧରି ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଅବସରରେ ତିନି ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି। ଏହି ଧାରା ବଜାୟ ରଖିବାକୁ ପୂର୍ବତନ ସଭାପତି ପ୍ରଦୀପ କୁମାର ଧଙ୍ଗଡ଼ାମାଝୀ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ, କ୍ରୀଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡ଼ାମାଝୀ ଓ ଅନୁଷ୍ଠାନର ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *