ଶ୍ରୀଜଗନ୍ନାଥ ସ୍ନାତକ ମହାବିଦ୍ୟାଳୟରେ ପାଠଚକ୍ର ଅନୁଷ୍ଠିତ।
ବ୍ରହ୍ମପୁର: ସାହିତ୍ୟ ଏକ ଅନାହତ ଧାରା l ସମୟ ଓ ସମାଜର ପରିବର୍ତ୍ତନକୁ ଆଧାର କରି ସବୁବେଳେ ସାହିତ୍ୟର ସ୍ବର ପରିବର୍ତ୍ତିତ ହୋଇଆସିଛି l ସ୍ବାଧୀନତା ପୂର୍ବ ଓଡ଼ିଆ କବିତାରେ ଯେଉଁ ସ୍ବପ୍ନ ଓ ସମ୍ଭାବନାର କଥା ପରିସ୍ଫୂଟିତ ହୋଇଥିଲା, ତାହା ସ୍ବାଧୀନତା ପରବର୍ତ୍ତୀ କବିତାରେ ସ୍ବପ୍ନଭଗ୍ନ ଓ ନିରାଶାରେ ପରିଣତ ହୋଇଥିଲା l ଆଧୁନିକ କାଳର କବିମାନେ ପାଶ୍ଚାତ୍ୟାଭିମୁଖୀ ହୋଇ ପାଶ୍ଚାତ୍ୟ ଚିନ୍ତା-ଚେତନାକୁ ଆପଣେଇଥିବା ବେଳେ ୧୯୮୦ ମସିହା ପରବର୍ତ୍ତୀ ସମୟରେ ସେମାନେ ଉତ୍ତର ଆଧୁନିକ ଚେତନାରେ ଦୀକ୍ଷିତ ହୋଇ ନିଜର ମାଟି, ମଣିଷ, ଐତିହ୍ୟ ଓ ପରମ୍ପରା, ପ୍ରତି ବେଶ୍ ଅନୁରକ୍ତ ତଥା ସଚେତନ ହୋଇ ଉଠିଛନ୍ତି l ଅତଏବ ଉତ୍ତର ଆଧୁନିକ ଓଡ଼ିଆ କବିତାରେ ଏକ ସାଂସ୍କୃତିକ ପ୍ରତ୍ୟାବର୍ତ୍ତନର ସ୍ବର ଦେଖିବାକୁ ମିଳେ ବୋଲି ରମ୍ଭା ସ୍ଥିତ ଶ୍ରୀଜଗନ୍ନାଥ ସ୍ନାତକ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ତରଫରୁ ଆୟୋଜିତ ଏକଦିବସୀୟ ପାଠଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶାନ୍ତି ନିକେତନ, ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ଶରତ କୁମାର ଜେନା ମତବ୍ୟକ୍ତ କରିଛନ୍ତି l
ମହାବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଡକ୍ଟର୍ ସିଦ୍ଧାର୍ଥ ଶଙ୍କର ପାଢ଼ୀ କହିଥିଲେ ଯେ, ଉତ୍ତର ଆଧୁନିକତା ହେଉଛି ଏଭଳି ଏକ ଚର୍ଚ୍ଚିତ ବିଷୟ, ଯେଉଁଥିରେ ଓଡ଼ିଆ କବିମାନେ ଆମ ମାଟିର କଥା କହିବାକୁ ପ୍ରାୟତଃ ପ୍ରୟାସ କରି ଆସିଛନ୍ତି l ବିଷୟ ବିଶାରଦ ଭାବେ ଅଧ୍ୟାପକ ଡକ୍ଟର୍ ହୃଷୀକେଶ ପଣ୍ଡା ଯୋଗଦେଇ ଏହାକୁ ପୁନଶ୍ଚ ପୃଥିବୀର ଅନୁସନ୍ଧାନ ବୋଲି କହିଥିଲେ l
ଏହି ପାଠଚକ୍ରରେ ଓଡ଼ିଆ ବିଭାଗ ମୁଖ୍ୟ ଡ. ଭାସ୍କର ଚନ୍ଦ୍ର ମୁଦୁଲି ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅଧ୍ୟାପିକା ଡ. ସାଗରିକା ମହାପାତ୍ର ପାଠଚକ୍ରର ସଂଚାଳନା କରିଥିଲେ l ଏହି ଅବସରରେ କଲେଜ ପରିଚାଳନା କମିଟିର ପ୍ରତିଷ୍ଠାତା ସମ୍ପାଦକ ସୁବାସ ଚନ୍ଦ୍ର ପଣ୍ଡା ଏବଂ ବର୍ତ୍ତମାନର ପରିଚାଳନା କମିଟି ସଭାପତି ଡକ୍ଟର୍ ରଞ୍ଜନ କୁମାର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବିତା ହୃଦୟର ଭାଷା ଏବଂ କବିତା ଜୀବନକୁ ପୂର୍ଣ୍ଣ କରିଥାଏ ବୋଲି କହିଥିଲେ l ଏହି ପାଠଚକ୍ରରେ ଓଡ଼ିଆ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l