କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ‘କଳିଙ୍ଗର ସ୍ୱର’ ଶୀର୍ଷକ ଶାରଦୀୟ ପତ୍ରିକାର ଆଲୋକ ଦର୍ଶନ।
ବ୍ରହ୍ମପୁର: ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜର ଦ୍ଵିତୀୟ ସାହିତ୍ୟ ପତ୍ରିକା ‘କଳିଙ୍ଗର ସ୍ୱର’ ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା ମହାଷ୍ଟମୀର ପବିତ୍ର ଅବକାଶରେ ଆଲୋକ ଦର୍ଶନ କରିଛି l ଉତ୍କଳ ଆଶ୍ରମ ଦୁର୍ଗାପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ କଳିଙ୍ଗ ସାହିତ୍ୟ ସମାଜ ପ୍ରକୋଷ୍ଠରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ‘କଳିଙ୍ଗର ସ୍ୱର’ର ପୂଜା ସଂଖ୍ୟା ଲୋକାର୍ପିତ ହୋଇଯାଇଛି l
ଏହି ସଂଖ୍ୟାରେ ୨୧ଟି ପ୍ରବନ୍ଧ ଓ ସମାଲୋଚନା, ୨୮ଟି କବିତା, ଗୋଟିଏ କ୍ଷୁଦ୍ର ନାଟକ ଓ ୪ଟି କ୍ଷୁଦ୍ରଗଳ୍ପ ପ୍ରକାଶ ପାଇଛି l ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ସମାଲୋଚକ ଡ. ଲମ୍ବୋଦର ପାଣିଗ୍ରାହୀ, ଉପ-ସଭାନେତ୍ରୀ ସ୍ବର୍ଣ୍ଣପ୍ରଭା ପାଢ଼ୀ, ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ରମେଶ ଚନ୍ଦ୍ର ପ୍ରଧାନ, କବି ଡ. କୁଳମଣି ଓଝା, କବି ସୁଶାନ୍ତ ଦାସ, କବି ଅନୁପ କୁମାର ମିଶ୍ର, ଆଲୋଚକ ଡ. ହୃଷୀକେଶ ପଣ୍ଡା, ସାହିତ୍ୟ ସମାଜର ସଂପାଦକ ଡ. ଶରତ କୁମାର ଜେନା, ଆଲୋଚକ ଡ. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ନଳିନୀକାନ୍ତ ଗୌଡ଼, ଦିନବନ୍ଧୁ ଶ୍ରୀପଲ୍ଲଵ, କପିଳ ଚନ୍ଦ୍ର ମହାନ୍ତି, ଡ. ଲକ୍ଷ୍ମୀନାରାୟଣ ଦାଶ, ବିଜୟ ଚନ୍ଦ୍ର ପାଣିଗ୍ରାହୀ ଓ ଯତୀନ୍ ଦାସ ପ୍ରମୁଖ ଯୋଗଦେଇ ପତ୍ରିକାରେ ସ୍ଥାନିତ ଲେଖାଗୁଡ଼ିକ ସଂପର୍କରେ ସମୀକ୍ଷା କରିଥିଲେ l କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ବ୍ରହ୍ମପୁର ସହରରୁ ଏହି ପତ୍ରିକାଟି ଏଣିକି ନିୟମିତ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି l