ଜିଲ୍ଲାପାଳଙ୍କ ବାଳିକା ଉଚ୍ଚବିଦ୍ୟାଳୟ ପରିଦର୍ଶନ।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳ ଶ୍ରୀ ସଚିନ ପାଓ୍ବାର ପ୍ରକାଶ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗା ପରିଦର୍ଶନରେ ଆସିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସମୀର କୁମାର ବେହେରା ତାଙ୍କୁ ସ୍ବାଗତ କରିଥିଲେ। ଜିଲ୍ଲାପାଳ ପ୍ରଥମେ ପ୍ରଧାନଶିକ୍ଷକଙ୍କ ଠାରୁ ସ୍କୁଲର ସାମଗ୍ରିକ ଗତିବିଧି ଓ ଗୁଣାତ୍ମକ ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ସେ ବିଦ୍ୟାଳୟର ବିଜ୍ଞାନଗାର, ସ୍ମାର୍ଟ ଶ୍ରେଣୀ କକ୍ଷ, ଇ-ଲାଇବ୍ରେରୀ ଏବଂ ସ୍କୁଲ ପରିବେଶ ବୁଲି ଦେଖିଥିଲେ। ସ୍କୁଲ ପରିଦର୍ଶନ ଏବଂ ତଦାରଖ କାର୍ଯ୍ୟରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦଳଗତ ଉଦ୍ୟମ ଓ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ବିଦ୍ୟାଳୟ ଛାତ୍ରୀମାନେ କିପରି ଏ-ଗ୍ରେଡ଼ ପାଇପାରିବେ ସେଥିପ୍ରତି ଶତ ପ୍ରତିଶତ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପବିତ୍ର ମୋହନ ସାହୁ, କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପଦ୍ମନାଭ ପୁରୋହିତ , ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶିବ ପ୍ରସାଦ ସାହୁ ଏବଂ ଅନ୍ୟାନ୍ୟ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ଥିଲେ।