ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ପାଳିତ।
ଭୁବନେଶ୍ଵର:-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଭାରତର ସାଂସ୍କୃତିକ ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ, ତେବେ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ।
ଦେଶ ପ୍ରତି ଦୀନଦୟାଲଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ରାଜ୍ୟ ସରକାର ତାଙ୍କ ନାମରେ ରାଜଧାନୀ ଭୁବନେଶ୍ୱରରେ ଏକ ସୁଦୃଶ୍ୟ ପାର୍କ ନିର୍ମାଣ କରିବେ। ସେହି ପାର୍କରେ ପଣ୍ଡିତ ଦୀନଦୟାଲଙ୍କ ଏକ ଲାଇଫ୍ ସାଇଜ୍ ପ୍ରତିମୂର୍ତ୍ତୀ ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଥିଲେ ଭାରତବର୍ଷର ଅନନ୍ୟ ରାଜନୀତିଜ୍ଞ ଓ ବିଶିଷ୍ଟ ଦାର୍ଶନିକ। ଭାରତବର୍ଷରେ ଏକ ନୂତନ ଦର୍ଶନ ତତ୍ତ୍ବ ସେ ଆରମ୍ଭ କରିଥିଲେ।
ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଓ ଗବେଷକ ଶ୍ରୀ ଭୁବନାନନ୍ଦ ତ୍ରିପାଠୀ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ, ଦର୍ଶନ ଓ ରାଜନୈତିକ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ।
ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ତଥା ବରିଷ୍ଠ ରାଜନେତା ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର କହିଥିଲେ ଯେ ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦର ଦର୍ଶନକୁ ଶାସନର ୧୦୦ ଦିନ ମଧ୍ୟରେ କାମରେ କରି ଦେଖାଇଛନ୍ତି ଆମ ମୁଖ୍ୟମନ୍ତ୍ରୀ।
କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ପଣ୍ଡିତଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ବହୁ ବୁଦ୍ଧିଜୀବୀ ଓ ରାଜନେତା ଯୋଗ ଦେଇଥିଲେ।