୪ ବର୍ଷର ନିଷ୍ପାପ କୁନି ଶିଶୁ ‘ପ୍ରିୟାଂଶୁ’ ରକ୍ତ କର୍କଟ ରେ ପୀଡିତ। ଘରେ ଦୁଇ ମାସର କଅଁଳ ଶିଶୁକୁ ଛାଡି ମାଆ ପୁଅ ପାଖରେ ମେଡ଼ିକାଲରେ ।ସାହାଯ୍ୟର ହାତ ବଢାଇବା ପାଇଁ ଆକୁଳ ନିବେଦନ।

0
Spread the love

ବେଗୁନିଆପଡା :-କୁନି କୁନି ପାଦରେ ଥୁକୁଲୁ ଥୁକୁଲୁ ଚାଲିବା ଓ ବାଲିରେ ଖେଳିବା ବୟସରେ କୁନି ଶିଶୁଟି ଆଜି ବଞ୍ଚିବା ପାଇଁ ମେଡ଼ିକାଲରେ ସଂଘର୍ଷ କରୁଛି। ନିଷ୍ପାପ ଶିଶୁ ଆଜି ମେଡିକାଲର ବେଡ଼ ଉପରେ ଶୋଇ ବଞ୍ଚିବା ପାଇଁ ରାହା ଖୋଜୁଛି। ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ବ୍ଲକର ସୁମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ସୁମଣ୍ଡଳ ଶିବାନନ୍ଦ ମାର୍ଗ ସାହିର ସନ୍ତୋଷ କୁମାର ଜେନା ଓ ସଂଗୀତା ଜେନାଙ୍କ ୪ ବର୍ଷର ବଡ ପୁଅ ‘ପ୍ରିୟାଂଶୁ’ ଏବେ ରକ୍ତ କର୍କଟ ରୋଗରେ ପୀଡିତ। ଘରେ ଥିବା ସମୟରେ ହଠାତ ପୁଅକୁ ଜ୍ୱର ଆସିବା ପରେ ନ ଛାଡିବାରୁ ତାକୁ କୋଦଳା ମେଡିକାଲ ନେବା ପରେ ତାକୁ ବ୍ରହ୍ମପୁର ଏମ କେ ସି ଜି ନେବା ସହ ସେଠାରେ ତାର ରକ୍ତ ପରୀକ୍ଷା କରିବା ପରେ ରକ୍ତ କର୍କଟର ସନ୍ଧାନ ମିଳିଲା। ଏହା ଶୁଣି ବାପା ଓ ମାଆ ଙ୍କ ପାଦ ତଳୁ ମାଟି ଖସିଗଲା। ଆଖିର ଲୁହ ଅମାନିଆ ହୋଇଗଲା। ତଥାପି ପୁଅକୁ ବଞ୍ଚାଇବା ପାଇଁ ଧୈର୍ଯ୍ୟ ନେଇ ପ୍ରିୟାଂଶୁ କୁ ଭୁବନେଶ୍ୱର AIIMs ରେ ଭର୍ତ୍ତି କରାଗଲା। ବେଡ଼ ଉପରେ ଶୋଇ ପ୍ରିୟାଂଶୁ ପଚାରୁଛି କାହିଁକି ତାକୁ ସେଇଠିକୁ ନେଇଛନ୍ତି ଆଉ ତାର କଣ ହୋଇଛି? ଉତ୍ତର ଦେବା ପାଇଁ ଭାଷା ଅଟକି ଯାଉଛି ସମସ୍ତଙ୍କର। ତାର ପ୍ରଶ୍ନରେ ବାପା ଓ ମାଆ ଙ୍କର ଆଖିରୁ ଲୁହ ଝରୁଛି। ପ୍ରିୟାଂଶୁ ବେଡ଼ରେ ଶୋଇ ଶୋଇ ଗାଁ ଓ ସାଙ୍ଗ କଥା ଭାବୁଛି। ଘରେ ପ୍ରିୟାଂଶୁ ର ୨ ମାସର ଭଉଣୀ କାବେରୀ କୁ ଛାଡି ମାଆ ପୁଅ ପାଖରେ ମେଡ଼ିକାଲରେ ଅଛନ୍ତି। ଏପଟେ ଶିଶୁ ମାଆ କୁ ଖୋଜୁଛି। ବାପା ଓ ମାଆ ଗରିବ ଶ୍ରେଣୀର ହୋଇଥିବା ବେଳେ ପୁଅର ଏହି ଅବସ୍ଥା ତାଙ୍କୁ ଧର୍ଯ୍ୟହରା କରୁଛି। ପୁଅ କଥା କହିବା ବେଳେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି। ଏପଟେ ଆର୍ଥିକ ପରିସ୍ଥିତି ବହୁତ ଜଟିଳ। ସେପଟେ ପୁଅର ଏତେ ବଡ ରୋଗକୁ ନେଇ ପରିବାର ଚିନ୍ତିତ। ସରକାର, ପ୍ରଶାସନ କିମ୍ବା ସହୃଦୟ ବ୍ୟକ୍ତି ଅଥବା ସ୍ବେଛାସେବୀ ଅନୁଷ୍ଠାନ ସାହାଯ୍ୟର ହାତ ବଢାଇବା ପାଇଁ ପରିବାର ଲୋକ ଆକୁଳ ନିବେଦନ କରିବା ସହ ଭଗବାନଙ୍କ ନିକଟରେ ପୁଅର ଜୀବନ ପାଇଁ ବାପା ମାଆ ଓ ପରିବାର ଆକୁଳ ପ୍ରାର୍ଥନା କରୁଛନ୍ତି।

Leave a Reply

Your email address will not be published. Required fields are marked *