ଶ୍ରୀକ୍ଷେତ୍ରରେ ବାମନ ଜନ୍ମ ନୀତି ଓ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ।
ପୁରୀ : ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି । ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ଶ୍ରୀମନ୍ଦିରରେ ପାଳିତ ହୋଇଥିଲା । ତେବେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ବାମନ ଜନ୍ମ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନ୍ୟପଟେ ରବିବାର ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନହରରେ ସୁନିଆଁ ପର୍ବ ଅନୁଷ୍ଠିତ।
ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହେବା ସହ ସକାଳଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯାଇଥିଲା। ଏହି ଅବସରରେ ଦକ୍ଷିଣ ଘରୁ ମଦନମୋହନ ରତ୍ନ ସିଂହାସନକୁ ବିଜେ କରିବା ପରେ ରତ୍ନ ଭଣ୍ତାର ନିକଟକୁ ଆସିଥାନ୍ତି। ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ପୂଜପଣ୍ତା ସାମନ୍ତ ବାମନଙ୍କ ସୁବର୍ଣ୍ଣ ପ୍ରତିମାରେ ଏହି ଜନ୍ମ ନୀତି ପାଳନ କରିଥାନ୍ତି। ତେବେ ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ବଜା ପୂଜା ବିଧି ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଅନ୍ୟପଟେ ରବିବାର ହେଉଛି ପବିତ୍ର ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ସନ୍ଧ୍ୟାରେ ପାଳିତ ହେବ ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜାଙ୍କର ୬୮ ଅଙ୍କ ଆରମ୍ଭ ହୋଇଥିଲା । ଜାତକ ଓ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ତ୍ଵ ରହିଥିବା ବେଳେ ଆଜିର ଏହି ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । ଗଜପତି ମହାରାଜ କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ , ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯିବ। ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା ।