ଚରକ ଜୟନ୍ତୀ ସମାରୋହରେ ପାଳିତ।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-କେସିଙ୍ଗା ବ୍ଳକ କୋକୋଡମାଳ(ଡଙ୍ଗରୀ ପଡା) ଠାରେ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘର ଆୟୋଜନରେ ଆଚାର୍ଯ୍ୟ ଚରକଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଚରକଙ୍କ ଫଟୋ ଚିତ୍ରରେ ଦୀପ, ଧୂପ ଓ ମାଲ୍ୟାର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇ ଥିଲା। ଏହା ପରେ ଉପସ୍ଥିତ ସମସ୍ତ ବୈଦ୍ୟଙ୍କୁ ବୈଦ୍ୟ ଶରତ ଚନ୍ଦ୍ର ପଧାନ ଚରକାଷ୍ଟକ ପାଠ କରାଇବା ସହ ଶପଥ ପାଠ କରାଇଥିଲେ। ଶ୍ରୀ ପଧାନ ଆଚାର୍ଯ୍ୟ ଚରକଙ୍କ ଜନ୍ମ, ଶିକ୍ଷା, ତାଙ୍କର ଚିକିତ୍ସା ପ୍ରଣାଳୀ ଉପରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ସଂଘର ସ୍ଥାୟୀ ସଭାପତି ବୈଦ୍ୟ ଦ୍ବାରିକା ରଣା ଚରକ ସଂହିତାର ବିଭିନ୍ନ ଅଧ୍ୟାୟ ଉପରେ ଉପରେ ତାଙ୍କର ସଂକ୍ଷିପ୍ତ ବିବରଣୀ ରଖିଥିଲେ। ସେହିପରି ସଂଘର ସଂପାଦକ ବୈଦ୍ୟ ତ୍ରୈଲୋକ୍ୟ ପଧାନ ଚରକ ସଂହିତାରେ ସୂତ୍ର ସ୍ଥାନରେ ଥିବା ୫୦ ଗୋଟି ମହାକଷାୟ ଗୁଣ ଓ ଉପଯୋଗ ଉପରେ ମତାମତ ରଖିଥିବା ବେଳେ ବୈଦ୍ୟ କୁଶମଣି ସିଂହ ଚରକ ସଂହିତାରେ ଥିବା ତୁଟୁକା ପରିକ୍ଷୀତ ଔଷଧ ଗୁଡ଼ିକ ଉପରେ ଓ ବୈଦ୍ୟ ଘାସିରାମ ସା ପିତ୍ତ ପଥୁରୀ ଚିକିତ୍ସା ପ୍ରଣାଳୀ ଉପରେ ସୂଚନା କରିଥିଲେ।ବୈଦ୍ୟ ସରୋଜ କାନ୍ତ ପଧାନ ଚରକଙ୍କ ହିତୋପଦେଶ ଉପରେ କଥା ରଖିଥିଲେ। ସଭାକାର୍ଯ୍ୟ ଶେଷରେ ବୈଦ୍ୟ ସଂଘର ସଭାପତି ଦ୍ବାରିକା ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।