କଳିଙ୍ଗ ସାହିତ୍ୟ ସମାଜର ଭଞ୍ଜ ଜୟନ୍ତୀ ସମାରୋହ ଅନୁଷ୍ଠିତ।
ବ୍ରହ୍ମପୁର: କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମଗ୍ର ବିଶ୍ୱର ଜଣେ କ୍ରାନ୍ତିକାରୀ ଅଦ୍ଵିତୀୟ କାବ୍ୟସ୍ରଷ୍ଟା l ଉପେନ୍ଦ୍ର କାବ୍ୟ ସମ୍ଭାର ଅବିକଳ୍ପ ଓ ଅତୁଳନୀୟ କାବ୍ୟିକ ସୌନ୍ଦର୍ଯ୍ୟରେ ଶୋଭା ମଣ୍ଡିତ l ଊନବିଂଶ ଶତାବ୍ଦୀରେ ଜନ୍ ଵିମ୍ସ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତି ପ୍ରଦର୍ଶନ ପୂର୍ବକ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ମାଧ୍ୟମ ପୁସ୍ତକ ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ l ମାତ୍ର ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିର ଯେଭଳି ବ୍ୟାପକ ବିଶ୍ୱ ବ୍ୟାପୀ ଚର୍ଚ୍ଚା ହେବା କଥା, ତାହା ଏ ଯାବତ୍ ସମ୍ଭବ ହୋଇପାରି ନାହିଁ l ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଘରେ ଘରେ ପହଞ୍ଚାଇବା ସମୟ ବର୍ତ୍ତମାନ ଉପଗତ l ଏ ଦିଗରେ ପ୍ରତିବଦ୍ଧ ପ୍ରୟାସ ହେବା ଆବଶ୍ୟକ ବୋଲି ଶାନ୍ତି ନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସଂସ୍କୃତ, ପାଲି ଓ ପ୍ରାକୃତ ବିଭାଗ ପ୍ରଫେସର୍ ଡ. ଅରୁଣ ରଞ୍ଜନ ମିଶ୍ର ମତବ୍ୟକ୍ତ କରିଛନ୍ତି l
ଓଡ଼ିଶା ଦକ୍ଷିଣାଞ୍ଚଳର ସର୍ବପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଆୟୋଜିତ ଭଞ୍ଜ ଜୟନ୍ତୀ ସମାରୋହରେ ଉଦ୍ଘାଟକ ରୂପେ ଯୋଗଦେଇ ସ୍ମୃତି-ବକ୍ତୃତା ପ୍ରଦାନ କରିବା ସହ ପ୍ରଫେସର୍ ମିଶ୍ର ଉପେନ୍ଦ୍ର ସାହିତ୍ୟର ସବିଶେଷ ଚର୍ଚ୍ଚା କରିଥିଲେ l ଆଜି ସନ୍ଧ୍ୟାରେ କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଉତ୍କଳ ଆଶ୍ରମ ସଭାଗୃହରେ ଅନୁଷ୍ଠିତ ଭଞ୍ଜ ଜୟନ୍ତୀ ସମାରୋହକୁ ଉଦ୍ଘଟନ କରି ପ୍ରଫେସର୍ ମିଶ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ସଂସ୍କୃତ ସାହିତ୍ୟର ବିଶିଷ୍ଟ ବିଦ୍ୱାନ୍ ପ୍ରଫେସର୍ ଅରୁଣ ରଞ୍ଜନ ମିଶ୍ରଙ୍କୁ ଉପାୟନ, ପ୍ରଶସ୍ତିପତ୍ର ଓ ପୁଷ୍ପସ୍ତବକ ପ୍ରଦାନ ପୂର୍ବକ କଳିଙ୍ଗ ସାହିତ୍ୟ ସମାଜର ସର୍ବୋଚ୍ଚ ‘ଭଞ୍ଜଭାରତୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l
ସାହିତ୍ୟ ସଂପାଦକ ଡ. ଶରତ କୁମାର ଜେନା ପ୍ରାକ୍-ସୂଚନା ଓ ବିବରଣୀ ଉପସ୍ଥାପନ କରିଥିଲେ l ସେହିପରି ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଖ୍ୟାତିପ୍ରାପ୍ତ ସାହିତ୍ୟିକା ତଥା ଅନୁବାଦିକା ଡ. ସୂଚନା ପାଢ଼ୀଙ୍କୁ ‘ସୁପ୍ରୀତିଦେବୀ ସ୍ମୃତି ସମ୍ମାନ’ ଓ କବି ଲଳିତ କୁମାର ସ୍ୱାଇଁଙ୍କୁ ‘ଅଶୋକ ମିଶ୍ର ସ୍ମୃତି ସମ୍ମାନ’ରେ ସମ୍ମାନିତ କରା ଯାଇଥିଲା l କାର୍ଯ୍ୟକାରୀ ସମିତି ସଦସ୍ୟ ଡ. କୁଳମଣି ଓଝା ଅତିଥି ପରିଚୟ, ବେଦପାଠ ଓ ପ୍ରଶସ୍ତିପତ୍ର ପାଠ କରିଥିବା ବେଳେ ଡ. ହୃଷୀକେଶ ପଣ୍ଡା ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିବା ସହ ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରଶସ୍ତିପତ୍ର ପାଠ କରିଥିଲେ l ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସାହିତ୍ୟ ସମାଜର କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକାରୀ ସମିତି ସଦସ୍ୟ ଡ. ଲମ୍ବୋଦର ପାଣିଗ୍ରାହୀ, ଡ. ରମେଶ ପ୍ରଧାନ, ଅନୁପ କୁମାର ମିଶ୍ର, ସଂଗଠନ ସଂପାଦକ ଦୀନବନ୍ଧୁ ଶ୍ରୀପଲ୍ଲଵ, ସାଂସ୍କୃତିକ ସଂପାଦକ ଡ. ମନୋରଞ୍ଜନ ବିଷୋୟୀ, କାର୍ଯ୍ୟାଳୟ ସଂପାଦକ ନଳିନୀକାନ୍ତ ଗୌଡ଼, ସୁଚେତା ପାଣିଗ୍ରାହୀ, ପଦ୍ମିନୀ ମିଶ୍ର, ଡ.. ସଞ୍ଜୟ କୁମାର ପଣ୍ଡା, ଡ. ଅଶୋକ କୁମାର ପଣ୍ଡା, ଡ. ନୃସିଂହାନନ୍ଦ ଶାସମଲ ପ୍ରମୁଖ ସମାରୋହ ସଂଚାଳନାରେ ସକ୍ରିୟ ସହଯୋଗ କରିଥିଲେ l ଏହି ସମାରୋହରେ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ, ବର୍ଷୀୟାନ୍ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଡ. ବିଧୁପ୍ରଭା ରଥ, ଡ. ସୁଶାନ୍ତ କୁମାର ମିଶ୍ର, ଡ. ଧରଣୀଧର ପଣ୍ଡା, କବି ଅଞ୍ଜଳି ଦାଶ, ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା, ରାଧାଚରଣ ନାୟକ, ଦଣ୍ଡପାଣି ମହାପାତ୍ର, ଗାଳ୍ପିକ ଶରତ କୁମାର ଦାସ, ଡା. ସାଗର ରଞ୍ଜନ ତ୍ରିପାଠୀ, ପ୍ରମୋଦ କୁମାର ପଣ୍ଡା, ଡ. ବିଶ୍ୱନାଥ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ସାହିତ୍ୟିକ ଯୋଗ ଦେଇଥିଲେ l