କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ।
କଳାହାଣ୍ଡି(ପ୍ରଦୀପ କୁମାର ଗଉଡ):-ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ ଲୋକେ ରାସ୍ତା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଅର୍ତ୍ତଲ ପଞ୍ଚାୟତର କାନ୍ଦୁଲଝର ଗାଁରେ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ କାନ୍ଦୁଲଝର ଠାରୁ ତେନ୍ତୁଳିପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ
ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମାଟି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା। ହେଲେ ବର୍ଷା କାରଣରୁ ରାସ୍ତାରେ କାଦୁଅ ପୂର୍ଣ୍ଣ ଯୋଗୁଁ ଲୋକେ ଦୈନନ୍ଦିନ କାର୍ଯ୍ଯରେ ଯିବା ଆସିବା କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ଗ୍ରାମବାସୀ ଏକତ୍ରିତ ହୋଇ କାଦୁଆ ରାସ୍ତାରେ ଧାନତଳି ରୋଇ ପ୍ରତିବାଦ କରିଛନ୍ତି। ଏନେଇ ବିଡ଼ିଓଙ୍କୁ ପଚାରିବାରୁ ଏ ବିଷୟରେ ତଦନ୍ତ କରାଯିବ ଏବଂ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।