ଏସ୍.ସି.ଏସ୍. କଲେଜରେ ବି.ବି.ଏ, ଏମ୍.ବି.ଏ. ଏବଂ ଏମ୍.ଏଫ୍.ସି. ଛାତ୍ରଛାତ୍ରୀଙ୍କର ଅଭିମୁଖୀକରଣ କାର୍ଯ୍ୟକ୍ରମ
ପୁରୀ : ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ନାମ ଲେଖାଇଥିବା ବି.ବି.ଏ, ଏମ୍.ବି.ଏ. ଏବଂ ଏମ୍.କମ୍.- ଫାଇନାନ୍ସ ଓ କଣ୍ଟ୍ରୋଲ (ଏମ୍.ଏଫ୍.ସି.) ବିଭାଗର ନୂତନ ଛାତ୍ରଛାତ୍ରୀମାନଙ୍କର ଅଭିମୁଖୀକରଣ କାର୍ଯ୍ୟକ୍ରମ, ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ୧୩.୦୯.୨୦୨୪ ତାରିଖରେ ଅନୁଷ୍ଠିତ ହୋଯାଇଅଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼କ୍ଟର ମିହିର ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଏବଂ ତାଙ୍କ ସ୍ବାଗତ ଅଭିଭାଷଣରେ ବର୍ତ୍ତମାନ ସମୟରେ ବି.ବି.ଏ, ଏମ୍.ବି.ଏ. ଓ ଏମ୍.ଏଫ୍.ସି. ପରି ଉପଯୋଗୀ ପାଠ୍ୟକ୍ରମ ଚୟନ କରିଥିବାରୁ, ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏମ୍.ବି.ଏ., ବି.ବି.ଏ. ଏବଂ ଏମ୍.କମ୍. (ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗର ସଂଯୋଜକ ଡକ୍ଟର ଚିତ୍ତରଞ୍ଜନ ଦ୍ୱିବେଦୀ ନିମନ୍ତ୍ରିତ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଜୀବନରେ ସଫଳତା ପାଇଁ ଶୃଙ୍ଖଳିତ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବି.ବି.ଏ. ବିଭାଗର ମୁଖ୍ୟ ଡଃ ବିଜୟଲକ୍ଷ୍ମୀ ଭୋଳ, ବି.ବି.ଏ, ଏମ୍.ବି.ଏ. ଓ ଏମ୍.ଏଫ୍.ସି. ପାଠ୍ୟକ୍ରମରେ ପଢା ଯାଉଥିବା ବିଷୟଗୁଡିକ ସହିତ ଇଣ୍ଟର୍ନଶିପ, ଶିଳ୍ପାଞ୍ଚଳ ପରିଦର୍ଶନ କାର୍ଯ୍ୟକ୍ରମ ଓ ଶେଷ ସେମିଷ୍ଟର ପୂର୍ବରୁ ଅନୁଷ୍ଠିତ ହେବାକୁ ଥିବା କ୍ୟାମ୍ପସ ପ୍ଲେସମେଣ୍ଟ ସମ୍ପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫକୀର ମୋହନ ବିଶ୍ବବିଦ୍ୟାଳୟର ବିଜିନେସ ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ଡଃ ପଦ୍ମଲିତା ରାଉତରାୟ ଶିକ୍ଷାର୍ଥୀ ଜୀବନରେ ସମୟ ଓ ସମ୍ବଳର ଉପଯୁକ୍ତ ପରିଚାଳନା ଏବଂ ନିରବିଛିନ୍ନ ପ୍ରଚେଷ୍ଟା କିପରି ସଫଳତାର ଶୀର୍ଷରେ ଜଣଙ୍କୁ ପ୍ରତିଷ୍ଠିତ କରେ, ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଯୋଗଦେଇ, ଓଡ଼ିଶା ମାଇନିଙ୍ଗ କର୍ପୋରେସନର ମାନବ ସମ୍ବଳ ପରିଚାଳନା ବିଭାଗର ଆଡିସନାଲ ଜେନେରାଲ ମ୍ୟାନେଜର ତଥା ହାଭାର୍ଡ ବିଜିନେସ ସ୍କୁଲରୁ ପ୍ରଶିକ୍ଷିତ ସୁମିତ କୁମାର ସାହୁ, ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତ ଜୀବନରେ ମ୍ୟାନେଜମେଣ୍ଟ ଶିକ୍ଷା କିଭଳି ପ୍ରତ୍ୟେକ ସମୟରେ କାର୍ଯ୍ୟକାରୀ ହେଉଛି, ତାହାର ଏକ ନିଖୁଣ ଚିତ୍ର ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। ସଫଳ ହେବା ପାଇଁ, ଶିଖିବାର ଏକ ଉନ୍ମୁକ୍ତ ମାନସିକତା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ, ରେଭେନ୍ସା ବିଶ୍ଵବିଦ୍ୟାଳୟର ବାଣିଜ୍ୟ ପରିଚାଳନା ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଅଶୋକ କୁମାର ଦାସ , ଛାତ୍ରଛାତ୍ରୀମାନଙ୍କୁ ବ୍ୟକ୍ତିତ୍ଵ ଓ ମନୋବୃତ୍ତିର ସକାରାତ୍ମକ ବିକାଶ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ଜୀବନରେ ଆସୁଥିବା ଅସୁବିଧାରେ ହତୋତ୍ସାହିତ ନ ହୋଇ, ନିଜ ଲକ୍ଷ୍ୟ ହାସଲ ପାଇଁ ଏକାଗ୍ର ରହିବାପାଇଁ ଛାତ୍ରଛାତ୍ରୀମାନଙ୍କୁ ସେ ତାଙ୍କ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ।
ବିଭାଗୀୟ ମୁଖ୍ୟ ଡଃ ସତ୍ୟ ପ୍ରକାଶ ମିଶ୍ର, ଛାତ୍ରଛାତ୍ରୀମାନଙ୍କର ସଫଳ ବୃତ୍ତିଗତ ଜୀବନ କାମନା କରିଥିଲେ। ବିଭାଗୀୟ ଅଧ୍ୟାପିକା ସୈାମ୍ୟା ମହାନ୍ତି ସଭା କାର୍ଯ୍ୟ ପରିଚାଳନା କରିଥିଲେ। ବିଭାଗୀୟ ବରିଷ୍ଠ ଅଧ୍ୟାପକ ଅଭିଷେକ ଶତପଥୀ ଓ ପ୍ୟାରୀ ମୋହନ ଜେନା କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ପ୍ରତ୍ୟକ୍ଷ ସହଯୋଗୀତା ପ୍ରଦାନ କରିଥିଲେ। ବିଭାଗୀୟ ବରିଷ୍ଠ ଅଧ୍ୟାପକ ଶିବପ୍ରସନ୍ନ ପଟ୍ଟନାୟକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥୀବୃନ୍ଦ ଓ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବାପରେ, କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା।