ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ସମନ୍ବୟ ସଂଘର ବିଶେଷ ବୈଠକ ।
ପୁରୀ:-ପୁରୀରେ ବସବାସ କରୁଥିବା ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଉନ୍ନୟନ ସଂଘର ଏକ ବିଶେଷ ବୈଠକ ସ୍ଥାନୀୟ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଫେସର ପୂର୍ଣଚନ୍ଦ୍ର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ପୁରୀରେ ବସବାସ କରୁଥିବା ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ଯା ବିଶେଷ କରି ଚିକିତ୍ସା ବ୍ଯବସ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।
ବୈଠକର ଆରମ୍ଭରେ ସଂଘର ସମ୍ପାଦକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଦେବା ସହ ସଂଘର ସଭ୍ୟ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।ଗଣ ଯୋଗାଯୋଗ ବୃଦ୍ଧି କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏହି ଅବସରରେ ଅନୁଷ୍ଠାନର ସଭ୍ଯ ଓ ଏହି ବିଷୟରେ ବିଶେଷଜ୍ଞ ଶ୍ରୀ ମାନସ ରଞ୍ଜନ ମହାପାତ୍ରଙ୍କୁ ଦିଆ ଯାଇଥିଲା। ଅନୁଷ୍ଠାନର ତୁରନ୍ତ ପଞ୍ଜିକରଣ ପାଇଁ ବିଶେଷଜ୍ଞ ସଦସ୍ୟ ଶ୍ରୀ ରତିକାନ୍ତ ଶ’ ଙ୍କୁ ଦାୟିତ୍ଵ ଦିଆ ଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ନିୟମିତ ଭାବରେ ଅନୁଷ୍ଠାନର ପ୍ରଚାର ପରିସର ବୃଦ୍ଧି କରିବାପାଇଁ ସଦସ୍ୟମାନେ ମତ ଦେଇଥିଲେ।ଅବଶେଷରେ ସଭ୍ଯ ଶ୍ରୀ ଦର୍ପେନ୍ଦ୍ର ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ପନ୍ଦରଟି ବିଭିନ୍ନ କେନ୍ଦ୍ର ସରକାରୀ ସଂସ୍ଥାର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ଥିଲେ।